Unknown

 

 

 

 

 

 

 

 

 

 

 

ଆହ୍ୱାନ

କୁନ୍ତଳା କୁମାରୀ ସାବତ

 

ଆହ୍ୱାନ

 

ସେନାପତି ଆଜି ଦେଇଛନ୍ତି ଡାକ,

ଉଠ ଭାରତର ବୀରପୁତ୍ରଯାକ ।

ଅପୂର୍ବ ଅସହଯୋଗ ରଣାଙ୍ଗନେ

ଆଣ୍ଟେ ଅଣ୍ଟା କଷି ପରା ଜଣେ ଜଣେ ।

ଭାରତର ଯେତେ ବୀର ଗୁଣମଣି,

ଚାଲି ଆସ ସେନାପତି ଡାକ ଶୁଣି ।

ଗାନ୍ଧି ଯୋଗୀବୀର ତୁମର ଅଗ୍ରଣୀ,

ଶିବ ସ୍ମରି ଉଠି ତରୁଣ ତରୁଣୀ ।

ନାହିଁ ଏଥି ଲୋଡ଼ା ବନ୍ଧୁକ, କମାଣ,

ହତିଆର ଏଠି ଏକା ତୁମ ପ୍ରାଣ ।

ତୁମ ରକ୍ତବିନ୍ଦୁ ଗୁଳି ବାରୁଦର,

ଏହି ଅସ୍ତ୍ରେ ଆଜି ହୁଅ ହେ ହାଜର ।

ସେନାପତି ତବ କଲେଣି ଆହ୍ୱାନ,

ଆସ ଆଗେ କିଏ ଦେବ ପ୍ରାଣଦାନ ।

ଆସ ଏକସଙ୍ଗେ ହିନ୍ଦୁ, ମୁସଲମାନ,

ଶିଖ୍‌, ପାର୍ଶୀ, ବୌଦ୍ଧ, ଇହୁଦୀ, ଖ୍ରୀଷ୍ଟାନ ।

ଏହି ହିନ୍ଦୁସ୍ଥାନ ତୁମ ବାସସ୍ଥାନ,

ତାରଅପମାନେ ତୁମ ଅପମାନ ।

ଧର୍ମଯୁଦ୍ଧେ ତବ ଆସିଛି ଆହ୍ୱାନ,

ବାଜେ ରଣଶିଙ୍ଘା ଶୁଣ ଡେରି କାନ ।

ଭୟ ଦକା ତେଜି ଉଠି ବଡ଼ ସାନ,

ଆତ୍ମବଳେ ଆଜି ମହା ବଳିଦାନ ।

ଅମିତ ବିକ୍ରମେ ଅସୁର ଦଳନ,

ଆତ୍ମ ଦମ୍ଭେ ଉଠ ବୀର ଅରିନ୍ଦମ ।

ଉଠ ଭାରତର ସେନା ନାରାୟଣୀ

ଗାନ୍ଧି ବିଷ୍ଣୁ ରୂପୀ ତୁମର ଅଗ୍ରଣୀ ।

ଭାରତ-ଭରସା ଭାରତ-ସମ୍ବଳ,

ତେଜ ମୂର୍ତ୍ତିମନ୍ତ ପୂତ ହୋମାନଳ ।

ଭାରତ-ଭରା ଭାରତ-ସଙ୍ଖାଳି,

ଉଠ, ଡାକେ ଦେଶ, ପ୍ରାଣ ଦିଅ ଢାଳି ।

ଅସ୍ତ୍ରଧାରୀ ସଙ୍ଗେ ନିରସ୍ତ୍ର ସଂଗ୍ରାମ

କହ, କେବେ କାହିଁ ଶୁଣିଥିଲା କାନ ?

ପଶୁତ୍ୱ ବଳରେ ଖଣ୍ଡନ କାରଣେ

ଧରାବନ୍ଧୁ ଅତ୍ୟାଚାର ନିର୍ବାସନେ ।

ଅସୁର ବଳକୁ କରିବାକୁ ନାଶ

ସହାୟ ତୁମ୍ଭର ପ୍ରଭୁ ଶ୍ରୀନିବାସ ।

ମୋହନ କରମଚାନ୍ଦ ମହାଯତି

ଧର୍ମଯୁଦ୍ଧେ ତବ ଆଜି ସେନାପତି ।

ଧର୍ମବାନାଧାରୀ ନିରସ୍ତ୍ର ନିର୍ଭୀକ,

ଉଠ ଭାରତର ଯୁବକ ସୈନିକ ।

ରଣେ ତୁମ ଆଗେ ଯିବେ ଜଗନ୍ନାଥ,

ଚକ୍ରେ ଘଉଡ଼ିବେ ସହସ୍ର ଉତ୍ପାତ ।

‘ଜୟ ମା ଶଙ୍କରୀ’ ଉଚ୍ଚେଦେଇ ଡାକ

ଉଠ ଭାରତର ବୀରପୁତ୍ରଜାକ ।

ଆଜି ଧର୍ମଯୁଦ୍ଧେ ମହା ଅଭିଯାନ,

ବାଜେ ବଜ୍ରଭେରୀ, ଶୁଭେ ବଜ୍ରଗାନ ।

କୁମାରୀକାଠାରୁ ହିମଗିରିଯାଏ

ଗଗନ ପବନ ସେ ତାନ କମ୍ପାଏ ।

ଅଛି କିଏ ବୀର ଭାରତ ସନ୍ତାନ,

କାହା ବକ୍ଷେ ବାଜେ ଆଗ୍ନେୟ ଆହ୍ୱାନ ?

ତାତିଲାଣି କା’ର ରକ୍ତ ଶିରେ ଶିରେ,

ବିଜୁଳି ଚମକେ କାହା ଧମନୀରେ ?

ବୀରଗର୍ବେ ନାଚିଉଠେ କା’ର ଛାତି,

ଦେଶପ୍ରେମମଦେ କେ ଉଠିଛି ମାତି ?

କାହା ପ୍ରାଣେ ଜାଗେ ଦେଶାତ୍ମ-ସମ୍ମାନ,

କରିବ କେ ତା’ର ଲାଗି ଆତ୍ମଦାନ ?

ଶକ୍ତିହାଡ଼ କା’ର ବଜ୍ରଠାରୁ ଟାଣ,

ସୁଖେ ହସିହସି କେ ତେଜିବ ପ୍ରାଣ ?

ତୁମ ଭାଗ୍ୟରବି ଉଇଁବ ଏଥର,

ସମୟ ଆସିଲା ଭାଗ୍ୟପରୀକ୍ଷାର ।

ଜୟଚନ୍ଦ୍ରଠାରୁ ମୀର୍ଜାଫର ଯାଏ

ଅତୀତ ବାରତା ଚିତ୍ତ ଚମକାଏ ।

କରଥିଲ କାର୍ଯ୍ୟ ବିଶ୍ୱାସହନ୍ତାର,

କରିବ ଏଥର ତା’ର ପ୍ରତିକାର ।

ହସି ହସି ପ୍ରାଣଦେବଟି ହେ ଭାଇ,

ହିନ୍ଦୁସ୍ଥାନ ସ୍ୱାଧୀନତା ଗୀତ ଗାଇ ।

ଭାରତମାତାର ବୀରପୁତ୍ରପୁଣ,

ରଣସ୍ଥଳ-ଧୂଳି କର ଆଲିଙ୍ଗନ ।

ଶାନ୍ତି ଅସ୍ତ୍ର ତବ ଏ ଶାନ୍ତି ସମରେ,

ବକ୍ଷ ମେଲି ଠିଆହେବ ଅକାତରେ ।

ଖୋଲି ଛାତିପରେ କମାଣ, ବନ୍ଧୁକ

ଦେଖାଇବେ କେତେ ଗୁଳିର ବନ୍ଧୁକ ।

ହଣାହେବ ବୀର ଶିର ଗୋଟି ଗୋଟି,

ତୁମ ରକ୍ତ ଭୂଇଁତଳେ ଯିବ ଲୋଟି ।

ଗଙ୍ଗାଧାରା ସଙ୍ଗେ ରଙ୍ଗଧାରା ମିଶି

ପୋଛିଦେବ ଦୁଃଖ ଅତ୍ୟାଚାରରାଶି ।

ପୂର୍ବକୃତ ପାପ ତହିଁ ଯିବ ଭାସି,

ଉଠିବ ଆଲୋକ ଅନ୍ଧକାର ନାଶି ।

ଆଇନ ଅମାନ୍ୟ ତପ୍ତ ଅଗ୍ନିକୁଣ୍ଡ,

ମୁଣ୍ଡମାଳା ତବ ହେବ ତହିଁ ରୁଣ୍ଡ ।

ପୁରୋହିତ ନିଜେ ଗାନ୍ଧି ଯଜ୍ଞାସନେ,

କେ ଦେବ ଆହୁତି ଆସ ହେ ବହନେ ।

କେତେ ବେତମାଡ଼, କେତେ କାରାବାସ,

ଦ୍ୱୀପାନ୍ତର, ରାଜ୍ୟାନ୍ତର, ପ୍ରାଣନାଶ ।

କ୍ଷୁଧା, ହରତାଳ, ପୋଲିସର ଲାଠି,

ସୃଷ୍ଟିପଦାଘାତ ସହିତ ଏକାଠି ।

କଳି ନୋହିବ ହେ ଯନ୍ତ୍ରଣା ତୁମର,

ସହିବାକୁ ବୀର ହୁଅ ଅଗ୍ରସର ।

ଏବେ କି ଯନ୍ତ୍ରଣା ନ ସହୁଛେ ଭାଇ,

ଅନ୍ନବସ୍ତ୍ର ବେନି ନେଲା ଯେ ଛଡ଼ାଇ ।

ଦୁର୍ଭିକ୍ଷ, ଦାରିଦ୍ର୍ୟ, ବଢ଼ି, ରୋଗ ଦାଉ,

ଋଣ, କରଭାର ସାରେ ତୁମ ଆୟୁ ।

ନାହିଁ ସେ ଭାରତ ଦେବତାବାଞ୍ଛିତ,

ଆଜି ଅନାଥିନୀ ଜଗତେ ଲାଞ୍ଛିତ ।

ହିମାଦ୍ରି, ନୀଳାବଧି ଯା’ର ବେନି ସୀମା,

ଯା’ର ଜଗନ୍ନାଥ ପ୍ରଭୁଙ୍କ ମହିମା ।

ବେନି ମରୁ ସରି ଲଭିଛି ପ୍ରଚାର;

ଯା’ ନାଉରୀପୁଅ ଲଙ୍ଘି ପାରାବାର ।

ଜାଭା, ବ୍ରହ୍ମ, ଶ୍ୟାମ, ବୋର୍ଣ୍ଣିଓ, ଜାପାନ,

ମାଲୟ, ସୁମାତ୍ରା, ଚୀନେ ଦେଲା ଜ୍ଞାନ ।

ଅରଘ, ଚନ୍ଦନ, ଧାନ, ଦୂବ, ଘିଅ,

ସୁନାଥାଳୀ ସାଜି ଯା’ ସାଧବ ଝିଅ ।

ବାପଭାଇଙ୍କର ବନ୍ଦାଏ ବୋଇତ,

ଭଙ୍ଗା ଖଞ୍ଜଣୀର ଗୀତ ଏ ଅତୀତ ।

ଯା’ ଅମୀର ଖଳା ଲକ୍ଷ ଭରଣରେ

ବସୁଥିଲା ସୁନା କଳସୀ ପୂର୍ବରେ ।

ନାରୀ ଥିଲେ ଯା’ଙ୍କ ଧନୁକଧାରିଣୀ

କୋଟି କାରୁକଳା-ଲୀଳା-ଗରବିଣୀ ।

ସେ ଚାଷୀ, ଶିଳ୍ପୀଙ୍କ ଦୁର୍ଦ୍ଦଶାର କଥା

ଭାବିଲେ କା’ ହୃଦେ ନ ହେବଟି ବ୍ୟଥା ?

ପେଟେ ନାହିଁ ଦାନା, ଦେହେ ନାହିଁ କନା,

ଦିନରାତି ରୋଗ, ଟିକସ ଭାବନା ।

ପଖାଳ ଗଣ୍ଡାକୁ ଟିପେ ନାହିଁ ଲୁଣ,

ବାହୁନିବା କିସ ଶାସନର ଗୁଣ ?

ଅପୂର୍ବ ରଚନା ଶାସନପ୍ରଣାଳୀ,

ତେତ୍ରିଶ କୋଟିଯା’ କବଳେ କାଙ୍ଗାଳୀ

ମୁହେଁ ମିଠା ପେଟେ ଶାଣଦିଆ ଖୁର,

ଛଳ ବ୍ୟବସାୟୀ ଦୁର୍ବୁଦ୍ଧି ଚତୁର ।

ନିଜ ଦେଶେ ଆଜି ଆମେ ନିର୍ବାସିତ,

ବାଘ ହାବୁଡ଼ରେ ମୃଗଭଳି ଭୀତ ।

ଗ୍ରେଟ୍‌ ବ୍ରିଟେନ୍‌ ଯେ ତୁଷାର ପ୍ରଧାନ,

ନାହିଁ ତହିଁ ଚାରୁ ଶସ୍ୟକ୍ଷେତ୍ରମାନ ।

ଖାଦ୍ୟ ଯା ନିଅଣ୍ଟ ତିନି ସପ୍ତାହକୁ,

ଖାଦ୍ୟ ଆଣେ ଚାହିଁଥାନ୍ତି ଭାରତକୁ ।

କଳେ ବଳେ କଉଶଳେ ଲୁଟିବାର,

ନାମ ତା’ର ବିନା ଶୁଲ୍‌କରେ ବେପାର ।

ରେଲ, ତାର, ଡାକ ଜାହାଜ ଚଳାଇ,

ଦେଶୀଙ୍କୁ ମୂଲିଆପଣରେ ଲଗାଇ ।

ମାଲିକ ସମାନ ବସି ଉଚ୍ଚାସନେ

ରଖଛି ଡରାଇକୋରଡ଼ା ଶାସନେ ।

ଆମକୁ ଜଗିବା ଲାଗି ଆମ ଧନେ

ଅଗଣା ଫଉଜ ସମ୍ପାଦି ଯତନେ ।

ବିପୁଳ ବାହିନୀ ଖର୍ଚ୍ଚ ଶିରେ ଚାପି

ଦରିଦ୍ର ପ୍ରଜାଙ୍କ ରକ୍ତ ନିଏ ମାପି ।

ଚର୍ମସାର ହାଡ଼ କଙ୍କାଳର ମାଳା,

ପୋଲିସ ପହରା ଗୋଇଠାର ଜ୍ୱାଳା ।

ଭୋକୀ ଶୋଷୀ ତଣ୍ଟି ଚିପି ଅକାତରେ

ଟିକସ ବସାଇ ସ୍ୱଦେଶୀ ମାଲରେ ।

ମୂଳୁ ମାରି ତା’ର କଲେଟି ସଂହାର,

ଦେଲେ ବିଦେଶୀଙ୍କୁ ଭାରତ ବଜାର ।

ଏକା ଲୁଟିବାରେ ନ ହେଲା ସନ୍ତୋଷ,

ସର୍ବେ ମିଳି ଲୁଟିନେଲେ ଧନକୋଷ ।

ଜାପାନ, ୟୁରୋପ, ଆମେରିକା, ଚୀନ-

ମାଲ କିଣି ଆମେ ହେଲୁ ଦୀନହୀନ ।

ଜାହାଜରେ ବହିନେଲେ ଆରପାର,

ଶୂନ୍ୟ ହେଲା ଆମ ସୁନାର ଭଣ୍ଡାର ।

କାଗଜର ନୋଟ୍‌ ସିନ୍ଦୁକ-ସମ୍ୱଳ,

ଦୁଇଅଣା ଦିନିକିଆ ଅର୍ଥଦଳ ।

ବେପାର ବଣିଜେ ନାହିଁ ସ୍ୱାଧିନତା,

ବିଦେଶୀ ବଣିଆ ଗୃହଶିଳ୍ପହନ୍ତା ।

ତନ୍ତୀଙ୍କ ଆଙ୍ଗୁଠି କାଟି ମାଞ୍ଚେଷ୍ଟରୀ-

ଲୁଗାରେ ଆମର ଘର ଦେଲେ ଭରି ।

ଘେରା ଆମ ଘର ଲୁଣି ପାରାବାରେ,

ଗନ୍ତାଘର ଭରା କୋମଳ କପାରେ ।

ଯେତେ ଧାନ, ମୁଗ ଗହମ ଅପାର,

ତହିଁରେ ଚାକିରୀ ଜପାମାଳି ସାର ।

କରଦିଆ ପୁଣି ରୀତି ଚମତ୍କାର,

ଖଜଣା ସୁଝିବା ଲାଗି ରୋଜଗାର ।

କର ତା’ ଗୋଲାମୀ, ଭର ତା’ ଭଣ୍ଡାର,

ଆମ ଚିଜେ ନାହିଁ ଆମ ଅଧିକାର ।

ଲିଭର୍‌ପୁଲ୍‌ ଲୁଗା ପେଡ଼ି-କଉଡ଼ିରେ

ନ କିଣିଲେ ଆଉ ଗତି ନାହିଁଟିରେ ।

ଆମରି ସାଗର, ଆମରି ଚିଲିକା,

ଆମ ଦ୍ରବ୍ୟ ଆମେ କରୁଁ ନିତି ଭିକ୍ଷା ।

ଲୁଣ କେ ମାରିଲେ ଜେଲ ଜୋରିମାନା,

ଆମେ ମୂଲ ଲାଗୁଁ ତାଙ୍କ କାରଖାନା ।

ପାଟ ନୀଳକ୍ଷେତେ ଚାହା ବଗିଚାରେ

କୁଲିଙ୍କ ଜୀବନ ବିତେ ଅତ୍ୟାଚାରେ ।

ମେଲେରିଆ, ଶୋଥ, ଡ଼େଙ୍ଗୁ, କଳାକାର

ଗରିବ କୁଲିଙ୍କ ଚିର ସହଚର ।

ଭାରତ ଭାଗ୍ୟରେ ଖାଲି କୁଲିଗିରି,

ଅଳ୍ପ ବେତନର କିରାଣୀ ଚାକିରୀ ।

ଆଉ କି ଭାରତେ ଅଛି ସୁନା ଚାନ୍ଦି,

ନେଲା ଭଣ୍ଡାରକୁ ନାନା ଫନ୍ଦି ବାନ୍ଧି ।

ଆମ କୁଳଲକ୍ଷ୍ମୀ ଆଭରଣହୀନା,

ସରିଲାଣି ପୂର୍ବ ରୂପର ଗାରିମା ।

ସୁନା ଅଭାବରେ ପିନ୍ଧେ କାଚଚୁଡ଼ି,

ମଣିମୁକ୍ତା ଛଟା ନ ଜାଳେ ଦିହୁଡ଼ି ।

ପାଟ ପୀତାମ୍ୱରୀ ଝୀନ ବସନର

ରଙ୍ଗ ଚକମକ କଥା ସପନର ।

ନାହିଁ ସେ ପଦ୍ମିନୀ, ସେ ନୁରଜାହାନ,

ଦେବତାଏ ଯା’ଙ୍କ ରୂପେ ହତଜ୍ଞାନ ।

ନ ସଜାଏ ଆଉ ଚାରୁ ହର୍ମ୍ୟପୁରୀ

ସୁନ୍ଦରୀଙ୍କ କର-ଶିଳ୍ପର ଚାତୁରୀ ।

ବିଦେଶୀ ଦଦରା ପଦାର୍ଥରେ ଭରା

ଆମ କୋଠାଘର ସିନ୍ଦୁକ ପେଟରା ।

ଚୀନାମାଟି, ଆଲ୍‌ମୋନିଆ ବାସନ

କଂସା, ପିତଳକୁ କଲା ନିର୍ବାସନ ।

କିପରି ଭୁଲିବା ଦେଢ଼ଶ’ ବର୍ଷର

ଗୋଲାମୀ ସାରିଲା ତେଜ ମାନବର ।

ବଳବୀର୍ଯ୍ୟ ଶିରୀ ସ୍ୱାସ୍ଥ୍ୟ ଧନହରା

ଘେରେ ଖାଲି ଅକାଳରେ ମୃତ୍ୟୁ ଜରା ।

ପ୍ରତାପ, ଶିବାଜୀ, ଆଜି ସେ ସ୍ୱପନ,

ବୀର ବଂଶଧର ଦାସତ୍ୱେ ମଗନ ।

ସିଗ୍ରେଟ୍‌, ଚଷମା, ବିଲାତି ପୋଷାକ,

ନଭେଲ, ସିନେମା, ଟେରିକଟା ବାଙ୍କ ।

ସୁରାପାନ ସାରିଦେଲା ଯୁବାଗଣେ;

ବୁଢ଼ା ବୁଡ଼ିଗଲେ ଅଫିମ ସେବନେ ।

ଥରି ସେ ଉଠନ୍ତି ଗୋରାଚମ ଚାହିଁ,

ଅସ୍ତ୍ରହୀନତାର ପରିମାଣ ଏହି ।

ଏ ଦେଶେ ଆମର ଭୁଇଁ ଚାଖଣ୍ଡକ

ନାହିଁ, କରାୟତ୍ତ, ଜନ୍ମଭୂମି ଧିକ ।

କହୁଁ କେଉଁ ମୁଖେ, ଡାକୁଁ ଅଳାଜୁକ,

ଏହାଠାରୁ ମୃତ୍ୟୁ କି ଦୁଃଖ ଅଧିକ ?

ବିଭୁଦତ୍ତ ଆମ ଜନ୍ମ ଅଧିକାର

ହରାଇ ଆରତେ କରୁଁ ହା’ ହା’କାର ।

ନିଜ ଅନ୍ନ ପାଣି ନିଜେ କିଣି ଖାଉଁ,

ଆପଣାକୁ ପୁଣି ମଣିଷ ବୋଲାଉଁ ।

ଭୀରୁ ମାର୍ଜାରର ପରି ପରସ୍ୱରେ

ଦ୍ୱନ୍ଦ୍ୱ ସାଧି ମରୁଁ ଆତ୍ମୀୟ ଦ୍ୱେଷରେ ।

ଭାଇ ଭାଇ ମଧ୍ୟେ ଭେଦ ଉପୁଜାଇ

ବିଦେଶୀ ବସଇ ରାଜଗାଦୀ ପାଇ ।

ସୁନାର ଭାରତ କଲା ଛାରଖାର

ବିଦେଶୀ ବଣିକ ଧୂର୍ତ୍ତ ଚାଟୁକାର ।

କେହି ନ ଭୁଲ ତା’ କୋମଳ କଥାରେ,

ନ ଯାଅ ବିଶ୍ୱାସ ଶତ ଘୋଷଣାରେ ।

ଦଗା ଦେଲା ସେହି ଶତ ଶତ ବାର,

ତା’ ସଙ୍ଗେ ବିଶ୍ୱାସ ନାହିଁ ବ୍ୟବହାର ।

ମଣିଷ ବୋଲି ସେ ତୁମକୁ ନ ମଣେ,

କୌଶଳେ ବିନାସ୍ତ୍ରେ ମାରେ ପଣେ ପଣେ ।

ହାତରେ ନ ମାରି ଭାତେ ମାରିବାର

କୂଟ ନୀତି ତା’ର ଶାନ୍ତିର ପ୍ରଚାର ।

କପୁରୁଷପଣେ ଯେ ଶାନ୍ତି ଅର୍ଜନ,

ତା’ ଠାରୁ ବରଞ୍ଚ ମୃତ୍ୟୁ ପ୍ରୟୋଜନ ।

ବଞ୍ଚି ମହା ଭୋଗ କରି ସ୍ୱର୍ଗବାସ

ଅର୍ଦ୍ଧମୃତ ଜୀବେ ନିତି ମୃତ୍ୟୁ-ତ୍ରାସ ।

ଶୃଗାଳ ଜୀବନେ କି ଲୋଡ଼ା ଆମର,

ସିଂହ ସରି ପ୍ରାଣ ତେଜିବୁଁ ଏଥର ।

ଧର୍ମେ କର୍ମେ ସବୁ ଦେବୁଁ ଜଳାଞ୍ଜଳି,

ଦାସଧର୍ମ ମୁକ୍ତି ମନେ ନେବୁଁ କଳି ।

ଦେଶ ଆମ ଧର୍ମ କର୍ମ ଜପାମାଳି,

ଅରଟର ଚକ୍ର ଜୀବନସଙ୍ଖାଳି ।

ସେନାପତି ତବ କଲେଣି ଆହ୍ୱାନ,

ଆତ୍ମ ଅରପଣେ ହୁଅ ଆଗୁଆନ ।

ବାଜିଉଠିଲାଣି ଋଣତୂରୀ, ଭେରୀ,

ନ ଅନାଅ ଆଉ ପଛପଟେ ଫେରି ।

ସାଜ ରଣସାଜେ ସୁର ପରାକ୍ରମୀ,

ତୁମ ଶକ୍ତି କେହି ନ ପାରିବ ଦମି ।

ମହାଯୋଗୀ କର୍ମଚାନ୍ଦ ଗାନ୍ଧିଙ୍କର

ଫଳିବ ତପସ୍ୟା, ମୁକ୍ତ ଭାରତର ।

ନୀଳାକାଶ ତଳେ ତୁମ ରକ୍ତାଙ୍କିତ

ଉଡ଼ିବ ପତାକା ଜୟ ସୁନିଶ୍ଚିତ ।

ଅନ୍ୟାୟ ଶାସନ ଚିରଦିନ ମହୀ

ଅକାତରେ ଶିରେ ନପାରିବ ବହି ।

ଅଛି କି ବ୍ରିଟନ ଅନ୍ୟାୟର ସୀମା,

କେ କହିବ ତା’ର ଅନ୍ୟାୟ ମହିମା !

ମହାରଣେ ଢାଳିଥିଲୁଁ ଯେ ଶୋଣିତ

ତା’ର ପ୍ରତିଦାନ ଦେଲେ ସେ ଉଚିତ ।

ଦେଇଥିଲୁଁ ଗଣ୍ଠି ଦଉଡ଼ି ଫିଟାଇ,

‘‘ରେଗୁଲେଟିଂ ଆକ୍ଟ’’ ଦେଲା ତା ସୁଝାଇ ।

କିନ୍ତୁ ଯେ ବିପଦେ ବନ୍ଧୁ ବ୍ୟବହାର

ଅର୍ଡ଼ିନାନ୍‌ସ ତେଣୁ ଜାରି ବାରମ୍ୱାର

ସାମାନ୍ୟ ସନ୍ଦେହେ ସହସ୍ର ଗ୍ରେପ୍ତାର,

ଯୁବକ ଶକ୍ତିକୁ ପେଷେ କାରାଗାର ।

ମଣ୍ଟେଗ୍ୟୁ-ଚେମ୍‌ସଫୋର୍ଡ଼ ଶାସନସଂସ୍କାର

ପିଲାଙ୍କୁ ଟାକୁଆ ଭଣ୍ଡିବା ପ୍ରକାର ।

ଦ୍ୱୈତ ଶାସନର ଲୀଳା ରଚାଇଲେ,

ଦ୍ୱିମନା ମୂର୍ଖଙ୍କୁ ତାନେ ନଚାଇଲେ ।

ତା’ପରେ ପେଷିଲେ ଦଳେ କମିଶନ

ମଧୁରଭକ୍ତିଆ ଦୂତ ସାଇମନ ।

ଶନିସପ୍ତା ପରି ଭାରତେ ବୁଲିଲେ

ଆମ ଶ୍ରମଧନେ ମଉଜ ମାରିଲେ ।

ତାଙ୍କ ଆଗମନେ ପ୍ରଥମ ଶିକାର

ଲାଲା, ଲାଜପତ ଲାଠିର ପ୍ରହାର ।

ଭୁଲୁଁ ନଭୁଲୁଣୁ ଲୋହୋର, ମିରଟେ

ଅଟଳ ଯୁବକେ ଛଳନା କପଟେ ।

ଷଡ଼ଯନ୍ତ୍ର-ବାନା ଧରି ବିନାଦୋଷେ

ଭାରତର ସାରା କର୍ମୀଦଳେ ରୋଷେ ।

କଠିନ ହାଜତ ଅବା କାରାବାସ

ବିହି ଏ ଦେଶର ଶକ୍ତି କଲା ନାଶ ।

ଜାଲିଆନାବାଗ କରୁଣ କାହାଣୀ,

ଡାୟାର, ଓଡ଼ାୟାର କମାଣ ନିଶାଣୀ ।

ମୋ ପିଲାଙ୍କ ଛାତିଫଟା ଦେହଛଟା,

ଶ୍ୱାସରୁଦ୍ଧ ମୃତ୍ୟୁ ଶୋଷ ହଟହଟା ।

ମଧ୍ୟ ପ୍ରଦେଶର ଦୁର୍ଭିକ୍ଷ ଭୀଷଣ,

ବଙ୍ଗ ଓଡ଼ଆର ବଢ଼ିର କଷଣ ।

ଲାହୋରର ଘୋର କ୍ରୁର ଅତ୍ୟାଚାର,

ରାଜଦ୍ରୋହ ଛଳେ ଯୁବକେ ଗ୍ରେପ୍ତାର ।

ବିଜୟ, ଯତୀନ୍ଦ୍ର ଅନଶନ ବ୍ରତ

ମୃତ୍ୟୁ କଥା ମନେ ନିୟତ ଜାଗ୍ରତ ।

ଦେଶବନ୍ଧୁ, ଗୋପବନ୍ଧୁ, ଲଜପତ

ଯା’ ଧର୍ମଶାସନେ ଅକାଳେ ନିହତ ।

ଗାନ୍ଧି, ଜବାହରଲାଲ, ରାଜେନ୍ଦ୍ର, ସୁବାଷ,

ପଟେଲ, ସତ୍ୟପାଲ ଲେ କାରାବାସ ।

ଦେଶାନ୍ତରୀ ରାସବିହାରୀ, ମହେନ୍ଦ୍ର,

ହରଦୟାଲ, ସାବରକର, ଅରବିନ୍ଦ ।

ପୁରୁଷକେଶରୀ ଭାରତରତନ

ତପନର ତଳେ ଋଷି ମହାଜନ ।

କଳା ବୋଲି ହେୟ, ଘୃଣ୍ୟ ଦଣ୍ଡଦାନେ

କଳା ନୀଚ, ଚୋର, ତସ୍କର ସମାନେ ।

କଳା ଦେହେ ଆମ ନାହିଁ କି ରକତ,

ଏତେ ଉତ୍ପାତରେ ନ ହେବ ତପତ ?

ଦକ୍ଷିଣ ଆଫ୍ରିକା କଳାଙ୍କ ନିଗ୍ରହ

ଭାବିଲେ କାହାର ନ ବହିବ ଲୁହ !

ଜେନେରାଲ ସ୍କଟ୍‌ ନିଷ୍ଠୁର, ନିର୍ଦ୍ଦୟ

ରାକ୍ଷସାବତାର, ହିଂସାର ବିଗ୍ରହ ।

କଳାଙ୍କୁ କଲା ସେ କେତେ ଅପମାନ,

କଳା ତା ନୟନେ ଘୁଷୁରି ସମାନ ।

କୁଲି ଜାତି ପୁଅ ଭାବି ମହାତ୍ମାଙ୍କୁ

କେତ ଦୁଃଖ ଦେଲା, ଅଜଣା କାହାକୁ ?

ଡ଼୍ୟାମ୍‌ ନେଟିଭ୍‌ ବୋଲି ତା’ର ଭାଇଗଣ

କରନ୍ତି କଳାଙ୍କୁ ସ୍ନେହସମ୍ଭାଷଣ ।

କେ ସକଳା ପୁତ୍ତଲି ପୂଜାର ଅନ୍ଧାରେ

ସଢ଼ୁଛନ୍ତି, ତାଙ୍କ ଆତ୍ମା ତାରିବାରେ ।

ଆମ ଅଣ୍ଟିଧନ କରିଣ ଖରଚ

ବସାନ୍ତି ପାଦ୍ରୀଏ ମିଶନ, ଚରଚ ।

ଏତେ ଜ୍ଞାନଧନ ଦେଲେଣି ଅଜାଡ଼ି,

ଜ୍ଞାନମୁଖେ ହିନ୍ଧୁସ୍ଥାନେ ଗଲା ମାଡ଼ି ।

ଶତକରା ପଞ୍ଚାନବେ ନିରକ୍ଷର,

ନ୍ୟାୟଶାସନ ଏ ଦେଢ଼ଶ’ ବର୍ଷର ।

ତାଙ୍କ ବୋଲି, ତାଙ୍କ ଢଙ୍ଗ, ରୀତିନୀତି

ଶିଖି ଦିନ ଯିବ ଦାସତ୍ୱରେ ବିତି ।

ଏହି ମରମେ ତ ଧରମ ପ୍ରଚାର,

ହିନ୍ଦୁ ଅନ୍ଧ ବୋଲି କରନ୍ତି ପ୍ରଚାର ।

ମୂର୍ଖ ମୁସଲମାନ, ବୌଦ୍ଧ ନିରୀଶ୍ୱର,

ଆମେ ଏକା ତ୍ରାତା ଜଗତଯାକର ।

ଜଣା ତ ଯାଇଛି ତ୍ରାତାପଣ ଗୁଣ,

ହରିନେଲେ ଅସ୍ତ୍ର, ଅନ୍ନ, ପାଣି, ଲୁଣ ।

ମନୁଷ୍ୟ ଜନ୍ମରୁ ତାରିବେ ଏବାର,

ବୁହାଇ ଭାରତ ତପ୍ତ ରକ୍ତଧାର ।

ଧର୍ମାଦର୍ଶଧାରୀ ଭଣ୍ଡ ପ୍ରବଞ୍ଚକ

ଅଣ୍ଟିରେ ଥାଇଣ ତଣ୍ଟିକଟା ଠକ ।

ମହାରାଣୀ କରିଥିଲେ ଯା’ ଘୋଷଣା

ହୋଇ ରହିଲା ସେ ଅକ୍ଷର ରଚନା ।

ନ୍ୟାୟେ ଧର୍ମ ଜାତି ବର୍ଣ୍ଣ ନିର୍ବିଶେଷେ

ପାଳିବେ ପ୍ରଜାଙ୍କୁ, କି ହୋଇଲା ଶେଷେ ?

ଆଖି ଦେଖୁଥାଇ ଅନ୍ୟାୟ ଗୋରାର

କଳା ଗୋରା କାର୍ଯ୍ୟ ଭେବ ବ୍ୟବହାର ।

ଉଚ୍ଚଅଟ୍ଟାଳିକା, ବିଜୁଳି ମୋଟର,

ବେହେରା, ଚପରାଶି, ଅର୍ଦ୍ଦଳୀ, ଚାକର ।

ପଦେ ପଦେ ଆଜ୍ଞାକାରୀ ଅନୁଚର,

ମାଗଣାରେ ମିଳେ ସେବକ ଡାକ୍ତର ।

ଗୋଡ଼େ ଗୋଡ଼େ ତାଙ୍କ ବାଜଇ ସଲାମ,

ଅଳପ ଖଟଣୀ, ବ୍ୟସନ, ଆରାମ ।

ଶିକାର ଖେଳିବା ଲାଗି ବନ୍ଦୋବସ୍ତ,

ସବୁ ସୁବିଧାରେ କରନ୍ତି ସେ ଗସ୍ତ ।

କାର୍ଯ୍ୟକାରୀଠାରୁ ଭାଇବନ୍ଧୁ ଯାଏ

ସାରା ଖରଚଟା ସର୍‌କାର ଯୋଗାଏ ।

ଗୋରା ତାଙ୍କ ଚମ, ବିଲାତରେ ପାଶ୍‌,

ଫର୍ମାସୀ ଯୋଗାଇ ମରେ କଳା ଦାସ ।

ତହିଁ ଉଚ୍ଚ ଭତ୍ତା, ବେତନ ଅଗଣା

ଖଞ୍ଜାଏ ଦରିଦ୍ର ପ୍ରଜାଙ୍କ ଖଜଣା ।

ତହିଁ ପୁଣି କେତେ ଗୋରା ବୁଟ୍‌ଚଟା

ଆମରି ଖାଇଣ ଆମ ତଣ୍ଟିକଟା ।

ଗୋଦଡ଼ା ଗୋଡ଼ର ଭୀଷଣ ଫୋଟକା,

ମିଛ ଚଟୁଚଲା ଧୋବ ପାଣିପକା ।

‘ଡିଟୋ’ ମାରିବାକୁ ପ୍ରତ୍ୟେକ କଥାରେ,

ଆପଣା ଜାତିର ଦାଉ ସାଧିବାରେ ।

ହାଁଜୀଦଳ କେତେ ଗୋରା ଅନୁଗତ,

ତାଙ୍କ ପାପେ ବୁଡ଼ି ରହିଛି ଜଗତ ।

ଯାବଚ୍ଚନ୍ଦ୍ରଦିବାକର ବିରାଜିବେ

ବିଶ୍ୱାସଘାତକେ ଦୁର୍ନାମ ଅର୍ଜିବେ ।

ପରାଧୀନ ତାଙ୍କ କୁଚକ୍ର ଫଳରେ

ଭାରତ ଶୃଙ୍ଖଳ ପିନ୍ଧିଛି ପୟରେ ।

ଏପରି ଶୃଗାଳେ ଶତ ନମସ୍କାର,

ଯଦୁକୁଳଧ୍ୱଂସୀ ଶାମ୍ୱ ଅବତାର ।

ଏହାଙ୍କ ପଛକୁ ପୁଣି ବଳୀୟାର

ଅଳସ ବିଳାସୀ ରାଜା ଜମିଦାର ।

ମଦ, ବାରାଙ୍ଗନା, ସିନେମା, ମୋଟାର,

ନାଟ, ଲାଟଭୋଜି, ବିଲାତି ଡିନର ।

ଦେହେ ବାସ କୋଟି ଉତ୍କଟ ବ୍ୟାଧିର,

ତେଜବୀର୍ଯ୍ୟ ଶୂନ୍ୟ ଦାସ ଔଷଧିର ।

ସୂର୍ଯ୍ୟଚନ୍ଦ୍ରବଂଶୀ କ୍ଷତ୍ରିୟ ଏମାନେ,

ଦେବତାଏ ଡରୁଥିଲେ ତାଙ୍କ ନାମେ ।

ହରିଶ୍ଚନ୍ଦ୍ର, ରାମଚନ୍ଦ୍ର, ଯୁଧିଷ୍ଠିର–

ରୁଧିରେ ଭରା କି ୟାଙ୍କରି ଶରୀର !

ଶିବାଜୀ-ପ୍ରତାପ ପୁରୁଷ ଉତ୍ତମ

ସିଂହ-ଗଜପତି-ଗୋଷ୍ଠିରେ ଜନମ !

ହୀନ ଘୃଷ୍ଟି ପରି ବିଳାସପଙ୍କରେ

ଲୋଟି କ୍ଷତ୍ରୀନାମ ଲେପି କଳଙ୍କରେ ।

ପ୍ରଜାରକ୍ତ ଶୋଷି ବୋଲାନ୍ତି ପାଳକ;

ବେଠି ଖଟି ପ୍ରଜା ପୀଡ଼ିତ ବାଳକ ।

ଦୀଢ଼ହୀନ ଖଣ୍ଡା ଖଣ୍ଡିକ ଭୂଷଣ,

ଏହିମାନେ ଗୃହଶତ୍ରୁ ବିଭୀଷଣ ।

ନାଟକଟପଟୁ ବ୍ରିଟନ୍‌ କୁମାରେ

କାଠ ପିତୁଳାଙ୍କୁ ଖେଳାନ୍ତି ମଜାରେ ।

ତାଙ୍କୁ ଘେନି ସବୁ ଶାସନ ତାମସା

ଉପାଧି ବା ପଦବୃତ୍ତିର ଲାଳସା ।

ସ୍କୁଲ କଚେରୀରୁ କାଉନ୍‌ସିଲ ଯାଏ

ଇଂରାଜ ଏହାକୁ ମଉନେ ନଚାଏ ।

ରାୟ ବାହାଦୁର, ଖାଁ ବାହାଦୂର

ପଦଟି ଆଶାରେ ହଜାରେ ହଜୁର ।

ଜଗତ ଅସ୍ତିତ୍ୱ ଥିବା ପରିଯନ୍ତ

ଚାହାନ୍ତି ଏମାନେ ଗୋରାଙ୍କ ରାଜତ୍ୱ ।

ଚୋର ଭାଇ ଗାଲକଟା ସରଦାର,

ଚିହ୍ନି କର ୟାଙ୍କୁ ଦୂରରୁ ଜୁହାର ।

ହାୟ ଏତେ କାଳ ଏ ଘୋର ଦୁରିତ

ଭ୍ରାତୃହତ୍ୟା ଥିବ ଭାରତେ ଜୀବିତ !

ତେଜି ପୁରୁଷତ୍ୱ ମହତ୍ୱ ଗୌରବେ

ବିରାଜିବେ କେତେ ଦିନ ଏ କୌରବେ ?

ଲଭି ସରକାର ତିଳେ ଅନୁଗ୍ରହ

ସାରା ଜାତିଟାକୁ କଲେ ଯେ ବିଗ୍ରହ ।

ଏହି କୁଳାଙ୍ଗାରେ କରି ଜନ୍ମଦାନ

ହିନ୍ଦୁସ୍ଥାନ ରବିତଳେ ହୀନିମାନ ।

ଦେଶ ଲୁଣ ଖାଇ ଗାଇ ପର ଗୁଣ

ସାରିଛନ୍ତି ଜନ୍ମଭୂମି ସନମାନ ।

ଏହି ମାନଙ୍କର ଭୋଗି ପାପଫଳ

ବୀରମାତା ବେଦଭୂମି ସନମାନ ।

ନିର୍ବୀର୍ଯ୍ୟ ନିରସ୍ତ ପଦାନତ ଭୀତ,

ଶାନ୍ତିମନ୍ତ୍ରଧ୍ୟାୟୀ ଚିର ପରାଶ୍ରିତ ।

ପୂର୍ବେ ଯେବେ ଥିଲେ ରାଜା ମୁସଲମାନ

ଏଡ଼େ ଭୀରୁ ନ ଥିଲା ତ ହିନ୍ଦୁସ୍ଥାନ !

କରୁଥିଲେ ଋଣ ସମାନେ ସମାନ,

ମୋଗଲର ସରି ବୈରୀ ରାଜସ୍ଥାନ ।

ଦର୍ପୀ ଔରଂଜେବ ଦମ୍ଭୀ ଶିବାଜୀର

ସମପ୍ରତିଦ୍ୱନ୍ଦୀ ବେନି ମହାବୀର ।

ବେନିର ସାକ୍ଷାତ ଖୋଳା ତରବାରେ,

ବୀର ପଟ ମରିବାରେ ମାରିବାରେ ।

ଆଜି କି ଦେଖୁଛ ହିନ୍ଦୁସ୍ଥାନ ଭାଇ,

ହୀନ ଭାରତୀୟ ଶାନ୍ତିମୟ ଗାଇ ।

ଭିକାରୀ-ମୂଲିଆ-ଗୋଲାମର ଦେଶ

ନାମେ ଚଉଦିଗେ ଲଭେ ଘୃଣା ଦ୍ୱେଷ ।

ଏ ଶାନ୍ତି ଶାସନେ ଯେ ଅସ୍ତ୍ର ଆଇନ

କଲା ପୁରୁଷଙ୍କୁ ଅବଳାଠୁଁ ହୀନ ।

ଦୂରେ ଥାଇ ହାତ ହତିଆର କଥା,

କଟାରୀ ଖଣ୍ଡକୁ ନାହିଁଟି ବ୍ୟବସ୍ଥା ।

କିପରି ବୀରତ୍ୱ ଜାଗିବ ଛାତିରେ,

ଛୁରୀ ଖଣ୍ଡେ ଯଦି ନ ଥିବ ପାଖରେ ?

କୃପାଣଧାରଣେ ଶିଖ୍‌ ଯାଏ ଜେଲ୍‌,

ପରଖ ଏ ଶାନ୍ତି ସୁନା କିବା ଭେଲ ।

ପୁରୁଷତ୍ୱ ହରି ଯେ ଶାନ୍ତି ସାଧନ

ସେ ଶାନ୍ତି ଆରାମେ ନାହିଁ ପ୍ରୟୋଜନ ।

ଶତ ଧିକ ଏହି ଶାନ୍ତିନାମଧାରୀ

ବେପାର-ଚତୁର କ୍ରୁର ଅତ୍ୟାଚାରୀ ।

ଗୁପ୍ତାଘାତପଟୁ କୂଟ କପଟିଆ,

ଉପର ଯା’ ଗୋରା ରଙ୍ଗ ପଟୁଦିଆ ।

ଜୁଆଚୋର ଶାସନକୁ ନମସ୍କାର,

କଲା ଭାରତର ଶକତି ସଂହାର ।

ମୁଣ୍ଡ ଟେକିବାର ଶକତି ସଂହାର

ମୁଣ୍ଡ ଟେକିବାର ନାହିଁ ଆଉ ବଳ ।

ହାଡ଼ମାଂସ ପେଷା ବିଚିତ୍ର ଏ କଳ

ଏ କଳ କବଳେ କେତେ ହେଲେ ନାଶ ।

କେ ଦେବ ତାଙ୍କର ହିସାବ ନିକାଶ ?

ସଢ଼ୁଛନ୍ତି କାରାଗାରେ ତୁମ୍ଭ ଭାଇ ।

ପ୍ରାଣପଣ କରି ଜନ୍ମଭୂମି ପାଇଁ

କେହି ରୋଗଶେଯେ, ନିସ୍ତେଜେ କେ ଭୋକେ ।

ତନୁ ତେଜି କେତେ ଗଲେ ସ୍ୱର୍ଗଲୋକେ

ଦତ୍ତ ସହ ଗଲା ସତୀନ୍ଦ୍ର କାବୁଲ ।

ମୋତା ମୂଜଫର, ଉଗତ୍‌, ନଜରୁଲ୍‌

ମାତୃଭୂମି ପ୍ରେମ ତାଙ୍କ ଅପରାଧ ।

ସ୍ୱର୍ଗ ଗରୀୟସୀ ତା ଭକ୍ତିରେ ବାଦ

ଜାତୀୟତା ପ୍ରତି ଗଭୀର ମମନା ।

ହେଲା ଭାରତୀୟ ଯୁବପ୍ରାଣହନ୍ତା

ଏଡ଼େ ହୀନ ଆଜି ଆମର କପାଳ ।

ମାତୃଭୂମି-ପ୍ରୀତି ଆମ ପ୍ରତି କାଳ

ଦେଶ ପ୍ରେମ ଲାଗି ନର ପାଏ ପୂଜା ।

ଆମର ଶାସନ ଓଲଟା ଅବୁଝା

କଳାପାଣି, ଫାଶିକାଠ, କାରାଗାର ।

ଦେଶପ୍ରେମୀଙ୍କର ଚିର ପୁରସ୍କାର

ସେହି ପୁରସ୍କାର ତିଳକ, ଗୋଖେଲ ।

ପୂର୍ବେ ଲଭିଥିଲେ, ତୀର୍ଥ ତେଣୁ ଜେଲ

ଧର୍ମ ଅର୍ଜିବାକୁ ତୀର୍ଥବ୍ରତ ସରି ।

ଲକ୍ଷ ଲକ୍ଷ ଯୁବା ଜେଲ୍‌ ଦିଅ ଭରି

ଭାରତଗୋଟାକ ବଡ଼ କାରାଗାର ।

କୋଣେ କୋଣେ ଉପଦ୍ରବ ଅତ୍ୟାଚାର

ଏଣିକି କି ଭୟ ଜେଲ୍‌ ନିର୍ବାସନେ ।

ଏଣିକି କି ଭୟ ମୃତ୍ୟୁ ଅନଶନେ ?

ସବୁ ସରିବ, ଏ ଭାରତର ହାଡ଼ ।

ନ ଭାଙ୍ଗେ ସହଜେ, ଏ ଦୃଢ଼ ପାହାଡ଼;

ହିମାଳୟ ପରି ଅଚଳ ଅଟଳ ।

କୋଟି କୋରଡ଼ାରେ ନହେବ ଦୁର୍ବଳ

ମହାମେରୁ ପରି ହୋଇଥିବ ଛିଡ଼ା ।

ଦେଉନ୍ତୁ ବଇରୀ ଶତ ଦୁଃଖ ପୀଡ଼ା

ଶତ ଶତ ଯୁଗେ ସହସ୍ର ତାଡ଼ନେ ।

ମୂଳ କି ଉପାଡ଼ି ପାରିଲା କେ ଜଣେ ?

ମହାବୋଧି ବଟ ଅଚ୍ଛେଦ୍ୟ, ଅଜର ।

ସର୍ବଂସହା ଭୂମି ଅକ୍ଷୟ ଅମର

ସେହି ଭୂମି କୋଳେ ଜନମ ତୁମର ।

ରକ୍ଷାଲାଗି ବେଗେ ହୁଅ ତତପର

ଉଠ ରାଜପୁତ, ପଞ୍ଜାବୀ, ଓଡ଼ିଆ ।

ଶତ ରଣକ୍ଷେତ୍ରେ ହୋଇଥିଲ ଠିଆ

ଉଠ ମରହଟ୍ଟା, ଗୁର୍ଖା ବଳବାନ ।

ମାନ୍ଦ୍ରାଜୀ, ବଙ୍ଗାଳୀ, ସିନ୍ଧ୍‌ ମୁସଲମାନ

ଗୁଜରାଟୀ ଯା ବର ତୋଳି ଜୟକେତୁ ।

ବାନ୍ଧିଲା ଭାରତବକ୍ଷେ ଦମ୍ଭସେତୁ

ସାବରମତିର ନିର୍ଭୀକ ସୈନିକ ।

ଉଠ ଭାରତର ଯୁବକ ନୀର୍ଭୀକ

ଆରମ୍ଭିବେ ମହା ଶାନ୍ତିର ସମର ।

ଆଗେ ଆଗେ ଚାଲିଛନ୍ତି ଯୋଗୀବର

ଗଳିତ ଦର୍ଶନ, ପଳିତ ଶରୀର ।

ଜ୍ୟୋତି ଟଳେ ଅଙ୍ଗେ ସହସ୍ର ମିହିର

ବ୍ରହ୍ମାବିଷ୍ଣୁ ମହେଶ୍ୱର-ତେଜଧାରୀ ।

ଖଦଡ଼ଶୋଭିତ ପୂତ ବ୍ରହ୍ମଚାରୀ

ଦକ୍ଷିଣ ଶ୍ରୀକରେ କରୁଣା କଲ୍ୟାଣ ।

ବାମେ ଦୀନତ୍ରାଣ ଅରଟ ମହାନ;

ନେତ୍ରେ ସୁରପ୍ରଭା, ଦ୍ୟୁତି ଭଗବତୀ ।

ପଦଭରେ କମ୍ପିଉଠେ ବସୁମତୀ

ନରମୂରତିରେ ନିଜେ ନାରାୟଣ ।

ଉଭା, କରିବେ ସେ ଭୂଭାର ହରଣ

ତାଙ୍କ ଆହ୍ୱାନରେ କେ ରହିବ ତୁନି ।

ମୋହନ ଡାକେ କେ ରହିବ ମଉନୀ ?

ଥାଇ ଏ ଶରୀରେ ସହସ୍ର ପରାଣ ।

ଅରପଣ ଲାଗି ହେବେ ଆଗୁଆନ,

ପଛଘୁଞ୍ଚା ଆଉନାହିଁଟି ଏକ୍ଷଣି ।

ବଞ୍ଚ, ଅବା ନିଅ ମରଣ ବରଣି

ଗାନ୍ଧିମନ୍ତ୍ର ଜପି ପ୍ରାଣ ଦିଅ ବଳି ।

ଦେଶମାତା ପଦେ ରକ୍ତ ପୁଷ୍ପାଞ୍ଜଳି

ଆସ ଏକସଙ୍ଗେ ହିନ୍ଦୁ, ମୁସଲମାନ ।

ଶିଖ୍‌, ପାର୍ଶୀ, ଜୈନ, ଇହୁଦୀ, ଖ୍ରୀଷ୍ଟାନ,

ଘେନ ମୋହନର ଅରଟର ଚକ୍ର ।

ଛେଦ ସେ ଅରଟେ ବିଦେଶୀୟ ନକ୍ର

ଭେଦ ସେ ଅରଟେ କୂଟ ଜାଲ ତା’ର ।

ତୁମ ଆତ୍ମବଳ ଦେଖୁ ଏ ସଂସାର

ତୁମ ଧୈର୍ଯ୍ୟ ତୁମ ଦୁଃଖ-କଷଟିରେ ।

ପରଖି ପକାଅ ଏହିଥର ବୀରେ

ହେଇ ତବ ହିୟା ବଜ୍ରରୁ କଠିନ ।

ଅଚଳ ଅଟଳ କୃଷ୍ଣାର୍ଜୁନ, ଭୀମ,

ଭୀଷ୍ମବ୍ରତେ ବ୍ରତୀ, ଧର୍ମେ ଯୁଧିଷ୍ଠିର ।

ବିଫଳିବ ତେବେ ମନ୍ତ୍ର ଶକୁନିର

ଉଡ ଅପ୍ରିତମ ତେଜେ ଅରିନ୍ଦମ ।

ଭୀର ଭାରତୀୟ କେଶରୀବିକ୍ରମ

ପଛଘୁଞ୍ଜା ଆଉ ନ ଦିଅ ଏଥର ।

ନିଅ ପରିଶୋଧ ମଣିଷପଣର

କିଂପା ଜଗତଟା ଅବଜ୍ଞାଦୃଷ୍ଟିରେ ।

ବିଦ୍ରୂପେ ଚାହିଁବେ ତେତ୍ରିଣ କୋଟିରେ ?

ତା’ ଠାରୁ ବରଞ୍ଚ ଝାସ ଏ ଅଗ୍ନିରେ ।

ଯାଉ ଦେହ, ନାମ ରତୁଟି ମହୀରେ

ସ୍ୱରାଜ୍ୟ ଆମର ଜନ୍ମ ଅଧିକାର ।

ନମିଳେ ଯଦି ତା’ ଧ୍ୱଂସ ଆପଣାର

ସାଧି ନିଜ ହାତେ ମର ଏକାଥରେ ।

ମିଶୁ ହିନ୍ଦୁସ୍ଥାନ ସିନ୍ଧୁ ଗରଭରେ

ତୁଙ୍ଗ ହିମଶୃଙ୍ଗ ପାରାବାର ଅଙ୍ଗେ ।

ଖସି ମିଶିଯାଇ ଅରଣ୍ୟ ତରଙ୍ଗେ

ହେ ପୁରୁଷେ ଯଦି ନଉଠ ଏଥର ।

ଆମେ ରଣବେଶେ ହେବୁଁ ଅଗ୍ରସର

ତୁମେ ଯଦି ଭୟେ ଦିୈ ପଛଘୁଞ୍ଚା ।

ଆମେ ତେଜି ଯିବୁଁ ଆମ ଲାଜ ଲୁଚା

ଆମେ ନାରୀଗଣ କୋଣରୁ ବାହାରି ।

ଧରିବୁଁ ଅସହଯୋଗ ତରବାରୀ

ଶାନ୍ତି ସତ୍ୟାଗହ ମହାରଣସ୍ଥଳେ ।

ଶେଭାଯାତ୍ରା କରିଯିବୁଁ ଦଳେବଳେ

ଆମେ ଭାରତର ଶକତି ସଂହତି ।

ତିଳେ ଭୀତି ଚିତ୍ତେ ନାହିଁ ବୈରୀ ପ୍ରତି

ଦେଉ ସେ ଆମ୍ଭଙ୍କୁ ଧରି କାରାଦଣ୍ଡ ।

କରୁ ସୁକୋମଳ ଦେହ ଖଣ୍ଡଖଣ୍ଡ,

ଟାଙ୍ଗୁଥାଉ ଫାଶିଖୁଣ୍ଟେ ଆମ ମୁଣ୍ଡ ।

ଆମେ ଯେ ନ ଡରୁଁ ଚିତା ଅଗ୍ନିକୁଣ୍ଡ

ଉଠିବୁଁ ଗୋ ଚଣ୍ଡୀ ଚାମୁଣ୍ଡା ପ୍ରଚଣ୍ଡ ।

ବୈରୀଶକ୍ତି ନିଶ୍ଚେ ହେବ ଲଣ୍ଡଭଣ୍ଡ

ହେ ପୁରୁଷେ ଉଠ ପାର୍ଥ, ପୃଥ୍ୱୀରାଜ ।

ଭୀମ, ରାମ, କୃଷ୍ଣ ସାଜ ସାଜ ସାଜ

ବାନ୍ଧିଦେବୁଁ ଶିରେ ରକ୍ତ ଶିରତାଜ ।

ପିନ୍ଧାଇବୁଁ ପୂତ ହାତେ ରଣସାଜ

ସତୀତ୍ୱ ଦେବୀତ୍ୱ ତେଜେ ଅଗ୍ନିଶିଖା ।

ପତିବ୍ରତାପଣ ଆମ ଜୟଟୀକା

ଆମ ଆଗେ କିଏ ଠିଆ ହେବ ଭବେ ।

ତୁମ ସଙ୍ଗେ ଆମେ ମିଶିବା ଆହବେ

ଯାଉ ପଛେ ପ୍ରାଣ ଥାଉ ଦେଶ ମାନ ।

ରଖିଜାଣୁଁ ଆମେ ସୁଧର୍ମ ସମ୍ମାନ

ମୋହନ ପତାକାତଳେ ମିରାବାଇ–

ସଙ୍ଗେ ଗାନ୍ଧିନାମ ମହାମନ୍ତ୍ର ଧ୍ୟାୟି

ଅସହଯୋଗର ଏ ଶାନ୍ତିସମରେ ।

ନେବୁଁ ଭାଗ ହର୍ଷେ ବାସନା ପ୍ରାଣରେ

ପତିପଦେ ଧ୍ୟାନ, ଊର୍ଦ୍ଧ୍ୱେ ଭଗବାନ ।

ସମ୍ମୁଖେ ମହାତ୍ମା ସ୍ୱଦେଶମାନ

ଭାରତର ନାରୀ ନୋହୁଁ ଅତି କ୍ଷୀଣା ।

ଆମ ମାଆ ଥିଲେ ଲକ୍ଷ୍ମୀ, ଦୁର୍ଗାବତୀ,

ଆମେ କର୍ମଦେବୀ ପଦ୍ମିନୀ ସନ୍ତତି ।

ସାଧନ ଆମର ଭାରତ ଉଦ୍ଧାର,

ମହାଶକ୍ତି ଅସ୍ତ୍ରେ ମ୍ଳେଚ୍ଛର ସଂହାର ।

ହରିଲା ଯେ ଆମ ବସ୍ତ୍ର ଆଭରଣ,

ଆମ ମଣିମୁକ୍ତା କଲା ଯେ ହରଣ ।

ଆମ ସନ୍ତାନକୁ ଅର୍ଦ୍ଧ ଅନଶନେ

ପେଷି ନାନା ଯନ୍ତ୍ରେ ମାରିଲା ଜୀବନେ ।

ଯାହା ଯୋଗେ ଆଜି ହେଲୁ କାଙ୍ଗାଳିନୀ,

ବିଶ୍ୱ ବଡ଼ଦାଣ୍ଡେ ବୁଲୁଁ ଭିକାରୁଣୀ ।

ତା ଉଚିତ ଦଣ୍ଡବିଧାନ ପ୍ରୟାସେ

ଯୋଖିଦେବୁଁ ଶକ୍ତି ଅରଟେ ଉଲ୍ଲାସେ ।

ଶକ୍ତିମୟ ହସ୍ତେ ଧରିଣ ଅରଟ

ଭାଙ୍ଗିବୁଁ ବଇରୀ ଚକ୍ରକୂଟ ନଟ ।

ନିଷ୍ଠୁର ନିଗଡ଼ ଫେଡ଼ିବା କାରଣ

ଆମ ହସ୍ତେ ସେହି ହେବ ସୁଦର୍ଶନ ।

ପଶୁବଳ ନୁହେ, ଆସିବ ଶକତି,

ଆମେ ଯେ ତହିଁର ସଜୀବ ମୂରତି ।

ଧୈର୍ଯ୍ୟ, ଶାନ୍ତି, ଶକ୍ତି, କ୍ଷମା, ସତ୍ୟ, ସ୍ନେହ

ସ୍ୱର୍ଗୀୟ ଭୂଷଣେ ଭରା ଆମ ଦେହ ।

ଅରଟ, ଅରଟ, ଆମ ଜପାମାଳି,

ଅରଟର ସୂତା ଜୀବନସଙ୍ଖାଳି ।

ବିଦେଶୀବର୍ଜନ ଦୃଢ଼ ବ୍ରତ ପାଳି

ଦର୍ପୀଙ୍କ ଶାସନଯନ୍ତ୍ର ଦେବୁଁ ଟାଳି ।

ଗାଅ ହେ ଭଉଣୀ ଅରଟର ଗୀତ,

ଅରଟରେ ଆମ ସାଧନା ନିହିତ ।

ସର୍ବ ବଳ ତହିଁ କରିବା ନିହିତ,

ଆଣିବା ଫେରାଇ ସୁବର୍ଣ୍ଣ ଅତୀତ ।

ଅରଟ ଆମର ଜୀବନସମ୍ୱଳ,

ଅରଟ ଯେ ଏକା ଭାରତର ବଳ ।

କୋଟି ମେସିନ୍‌ଗନ୍‌, ଲକ୍ଷ ରଣତରୀ,

ଅୟୁତ କମାଣ ନୁହେ ତାକୁ ସରି ।

ଅରଟକୁ କହ କି ଅସ୍ତ୍ରେ ନାଶିବ,

ଅରଟ ପ୍ରଭାବେ ନିଜେ ନାଶ ଯିବ ।

ଅରଟ ଭାରତ ହସ୍ତେ ସୁଦର୍ଶନ,

ଗାନ୍ଧିବେଶେ ଅରପିଲେ ନାରାୟଣ ।

ଖଦଡ଼ବସନା ଅରଟ ସୁନ୍ଦରୀ

ଜଗଦ୍ଧାତ୍ରୀ, ଉଠ ପାର୍ବତୀ ଶଙ୍କରୀ ।

ହେ ଭବାନୀ, ତୁମ ବିଭବେ ଭାରତ

ହୋଇବ ମୁକତ, ହୋଇବ ମୁକତ ।

ଉଠ ରଣଚଣ୍ଡୀ ଅରଟଧାରିଣୀ,

ହେ ମହାଭୈରବୀ ଭାରତତାରିଣୀ ।

ଅରଟର ସୂତା ତୁମରି ସାଧନା,

ଅରଟେ ଭାରତ ମୁକ୍ତି ଉଦ୍‌ଯାପନା ।

ଆଜି ହୋଲିଖେଳେ ଆସିଛି ଆହ୍ୱାନ

ଫଗୁଖେଳେ ଆଉ ନ ବଳେ ପରାଣ ।

ଢାଳି ସ୍ୱରୁଧୀର ଅବିର ବଦଳେ

ନୂଆ ଫଗୁଖେଳେ ମାତିବା ସକଳେ ।

ଲାଲେ ଲାଲ୍ ହେବ ରଙ୍ଗ ଭାରତର,

ତହିଁ ଲୁଚିଯିବ ଲାଲ୍‌ ବ୍ରିଟେନ୍‌ର ।

ପୂର୍ବେ କହିଥିଲେ ରାଜା ରଣଜିତ୍‌,

ହେବ ସବୁ ଲାଲ ବ୍ରିଟିଶବିଜିତ ।

ହିନ୍ଦୁସ୍ଥାନ ଭୂମି ସେହି ଚିହ୍ନମାନ

ଘୁଞ୍ଚାଅ ଶୋଣିତେ ତବ ରକ୍ତ ବିନା ।

କେଭେଁ ନ ଲିଭିବ ଏ ଗାଢ଼ ରକ୍ତିମା

‘ଦିଅ ରକ୍ତ’ ବୋଲି ଶୁଭଇ ଚିତ୍କାର ।

କମ୍ପାଇ ଦିଅନ୍ତ ଗିରିପାରାବାର

‘ଜୟ ଜଗନ୍ନାଥ’ ଉଚ୍ଚେ ଦେଇ ଡାକ ।

ଉଠ ଭାରତର ବୀରପୁତ୍ରଯାକ

ପୂର୍ବେ ‘ଆହେରିୟା’ ଉତ୍ସବେ ଯେସନେ ।

ରାଜପୁତେ ଦୋଳ ପରବ ପାଳନେ

କରୁଥିଲେ ଦେଶ ସୌଭାଗ୍ୟ ନିର୍ଣ୍ଣୟ ।

ତେସନ ଉଠ ହେ ତେଜି ଦକା ଭୟ

ପ୍ରଭୁ ଜଗନ୍ନାଥ ସହାୟ ତୁମର ।

‘‘ମା ଭୈଃ’’ ନାଦେ ହୁଅ ଅଗ୍ରସର

ଘଣ୍ଟ ଘୋଡ଼ାଇଣ ରଖିବେ ଶ୍ରୀ ହରି ।

ଜୟ ସୁନିଶ୍ଚିତ, ନାଶଯିବ ଅରି

‘ଜୟ ଜଗନ୍ନାଥ’ ଉଚ୍ଚେ ଦେଇ ଡାକ ।

ଆସ ଭାରତର ବୀରପୁତ୍ରଯାକ

ଆଜି ରଣକ୍ଷେତ୍ରେ ମହାସମ୍ମିଳନ ।

କର ବୀର ମୃତ୍ୟୁ ସ୍ୱାଧୀନତା ଧନ,

ସ୍ୱାଧୀନ ଜୀବନଯାତ୍ରା କୁତୂହଳେ ।

ସ୍ୱରାଜ୍ୟ ଆମର ଜନ୍ମ ଅଧିକାର,

କାମ୍ୟ ସ୍ୱାଧୀନତା ଧ୍ୟେୟ ଶ୍ରେଷ୍ଠସାର ।

ସେହି ଅଧିକାର ଲାଭ ହେତୁ ଭାଇ,

ଚାଲ ଚାଲ ବୀରେ ଆଗକୁ ଅନାଇ ।

ସାବରମତିର ସ୍ୱରାଜ୍ୟ ସୈନିକ

ଉଠ ଭାରତର ଯୁବକ ନିର୍ଭୀକ ।

ଉଠ ଭାରତର ବୀରପୁତ୍ରଯାକ,

ସେନାପତି ଆଜି ଦେଇଛନ୍ତି ଡାକ

Image